ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଯୋଗୁଁ ଚଳିତ ବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିନିର୍ଘଣ୍ଟ ବଦଳିଛି। ଏ ନେଇ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ସହ ଶିକ୍ଷାବର୍ଷ କାର୍ଯ୍ୟସୂଚୀ, ପରୀକ୍ଷା ଇତ୍ୟାଦି ସମ୍ପର୍କିତ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଯେଉଁ ରାଜ୍ୟରେ କରୋନାର ପ୍ରାଦୁର୍ଭାବ ହ୍ରାସ ପାଇଛି, ସେଠାରେ ଜୁଲାଇରୁ ପରୀକ୍ଷା ଆରମ୍ଭ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ତଥା ପରୀକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ପ୍ରତି ବିଶ୍ବବିଦ୍ୟାଳୟରେ ଏକ ‘କରୋନା ପ୍ରକୋଷ୍ଠ’ ଖୋଲାଯିବ ଓ ଏହି ପ୍ରକୋଷ୍ଠ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କ୍ଷମତାପନ୍ନ ହେବ। ୟୁଜିସିରେ ମଧ୍ୟ ସମାନ ପ୍ରକୋଷ୍ଠ କାର୍ଯ୍ୟ କରିବ।