ଜାମ୍ମୁ ( ଏଜେନ୍ସି ) : ଆତଙ୍କବାଦୀ ଦମନ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୋମବାର ଗୋଟିଏ ଦିନରେ ୧୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ପ୍ରଥମ ଘଟଣାରେ ଜାମ୍ମୁ-କାଶ୍ମୀରର ରାଜୌରି ଜିଲା ନୌସେରା ସେକ୍ଟରର ନିୟନ୍ତ୍ରଣ ରେଖା ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳେ ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ କରିବାବେଳେ ସୁରକ୍ଷାକର୍ମୀଙ୍କ ସହିତ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଜାମ୍ମୁ-ଡିଭିଜନର ମେନ୍ଧର ସେକ୍ଟର ନିକଟ ନିୟନ୍ତ୍ରଣ ରେଖାରେ ଆଉ ୧୦ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ସମସ୍ତ ୧୩ ଆତଙ୍କବାଦୀ ପାକିସ୍ତାନୀ। ସେମାନେ ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଥିଲେ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି।